ଘୁମୁରା ନାଚର ଇତିହାସ - History Of Ghumura

History Of Ghumura Dance

Ghumura Dance: The Martial Rhythm of Odisha


ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ, ବିଭମମଣ୍ଡିତ କଳାହାଣ୍ଡି ବହୁବିଧ କଳାସଂସ୍କୃତିରେ ସମୃଦ୍ଧ।

ଆର୍ଯ୍ୟ ଓ ଅନାର୍ଯ୍ୟ ଉଭୟ ସଂସ୍କୃତିର ମିଳନଭୂମି "କଳାର ହାଣ୍ଡି" କଳାହାଣ୍ଡିରେ ଅନେକ ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକକଳା ବିକଶିତ ଓ ବିସ୍ତାରିତ । ଏସବୁ ମଧ୍ୟରୁ ଗଣବାଦ୍ୟ ଲୋକନୃତ୍ୟ ‘ଘୁମୁରା’ର କଳାତ୍ମକ ଆବେଦନ କାହାରିକୁ ଅବିଦିତ ନୁହେଁ ।

ବିଗତ କିଛି ବର୍ଷ ଧରି ଦେଶବିଦେଶ ଯାଏ ପ୍ରସାରିତ, ମନ୍ଦ୍ରିତ ଏଇ ଲୋକନୃତ୍ୟ ସତେ ଯେମିତି ଏ ମାଟିର ଆତ୍ମାର ଏକ ଅନ୍ତରଙ୍ଗ ପ୍ରତିଧ୍ଵନି । ଚଳନ୍ତି ସମୟ ସୁଅରେ ସଂଘର୍ଷ କରି ଏଇ ନୃତ୍ୟ ନିଜର ସ୍ଥିତି ଓ ସ୍ବାତନ୍ତ୍ର୍ୟ ପାଇଁ ମହୀୟାନ ।

କ୍ଷୁଧା ବ୍ୟତୀତ ଅନ୍ୟ ଅଞ୍ଚଳର ମଣିଷଙ୍କ ମନରେ କଳାହାଣ୍ଡି ମାଟିର ପରିଚୟ ‘ଘୁମୁରା’ ନୃତ୍ୟ କୁ ହିଁ ନେଇ ଏବଂ ଗବେଷଣା-ସାପେକ୍ଷ ଏହି ନୃତ୍ୟର ଚୌହଦୀ ଆଜି ମଧ୍ୟ ଉନ୍ମୁକ୍ତ ଓ ପରିବ୍ୟାପ୍ତ । ଇତିହାସର ଅନ୍ଧାରୀ ଦୁନିଆରୁ ଆଲୋକିତ ଆଜିର ସମୟ ଯାଏଁ ବହୁ ପଥ ଅତିକ୍ରମ କରି ଏକ ମହାନ ସଂସ୍କୃତିର ପ୍ରତିନିଧିତ୍ଵ କରୁଥିବା ଘୁମୁରା ସମ୍ପର୍କରେ ବହୁ ତଥ୍ୟ, କିମ୍ବଦନ୍ତୀ, ପ୍ରମାଣ ରହିଥିଲେ ମଧ୍ୟ ସାମ୍ପ୍ରତିକ ଗଣମାଧ୍ୟମ ଓ ଇଣ୍ଟରନେଟର ବିକୃତ ପ୍ରଭାବରୁ ଏହା ନବୀନ ପିଢ଼ି ପାଖରେ ଧୀରେ ଧୀରେ ବିସ୍ମୃତ ହୋଇଯିବା କିଛି ବିଚିତ୍ର ନୁହେଁ ।ଘୁମୁରା । ବଣମୁଲକର ନିଘଞ୍ଚ ମାଳ ଅଞ୍ଚଳର ସମର ସଙ୍ଗୀତ ଏଇ ଘୁମୁରା । ଇତିହାସ ଲିପିବଦ୍ଧ କରିନାହିଁ ତା’ର ଜନ୍ମଜାତକ । ଯୁଗ ଯୁଗ ଧରି ଜନଶ୍ରୁତିରେ, ଲୋକାଚାରରେ ରହିଆସିଛି ଏହାର ପ୍ରୟୋଗଧାରା ।

ଘୁମୁରାର ବାଦନ ଶୈଳୀ ପାଇଁ ଏହା ଏକ ବୀରବାଦ୍ୟ ଭାବରେ ଜଣାଥିଲା ଓ ପରେ ଲୋକ ସଂସ୍କୃତିକୁ ଭିତ୍ତି କରି ଏହାର ବାଜଣାରେ ପରିବର୍ତ୍ତନ ହେବା ପରେ ଏହା ଏକ ରଣବାଦ୍ୟ ଭାବରେ ଜଣା । ପାରମ୍ପରିକ ଘୁମୁରା ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ମାଟି ନିର୍ମିତ ଲମ୍ବା ବେକ ଥିବା ମାଠିଆ ଆକୃତିର । ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।

ଯୁଦ୍ଧମୁହାଁ ଯୋଦ୍ଧାମାନଙ୍କୁ ଅନୁପ୍ରେରିତ, ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ଏହି ବାଦ୍ୟ ସହ ରଣହୁଙ୍କାର ତୋଳି ଉଦଣ୍ଡନୃତ୍ୟ କରିବାର ପରମ୍ପରା ରହିଛି । ଯୁଦ୍ଧଫେରନ୍ତା ଯୋଦ୍ଧାମାନଙ୍କର କ୍ଲାନ୍ତି ମେଣ୍ଟାଇବା ପାଇଁ ଏକମାତ୍ର ସାଧନରୂପେ ବ୍ୟବହୃତ ହେଉଥିବା ରଣବାଦ୍ୟ ସହ କ୍ରମେ ସଂଯୁକ୍ତ ହୋଇଛି ଲୋକନୃତ୍ୟ ଏବଂ ପରେ ପରେ ସଙ୍ଗୀତ । ସେ ତ୍ରିବେଣୀଧାରାକୁ ଅଧିକ ରସାଣିତ ଓ ବିବର୍ତ୍ତିତ କରିଛି ରୀତିଯୁଗୀୟ କାବ୍ୟ, ଚଉପଦୀର ସଂଯୋଜନା । ଅନ୍ୟାନ୍ୟ ଲୋକନୃତ୍ୟ ଓ ସଙ୍ଗୀତ ପରି ଏହାର ମଧ୍ୟ ରହିଛି ଏକ ଶୃଙ୍ଖଳିତ ବ୍ୟାକରଣ । ଗଣବିଶ୍ୱାସ ଧାରାରେ ଇନ୍ଦ୍ରଙ୍କୁ ଶଙ୍କିତ କରୁଥିବା ଏହି ବାଦ୍ୟ ବର୍ଷାଋତୁ ଶେଷରେ ହିଁ ବାଦନ ହୋଇଥାଏ ।
ଆଦିମ ସଂସ୍କୃତି ସହିତ ଘୁମୁରା ଲୋକନୃତ୍ୟର ଘନିଷ୍ଠ ସମ୍ପର୍କ ଥିବା କଥା କଳାହାଣ୍ଡିର ଅନେକତ୍ର ପ୍ରାଗୈତିହାସିକ ଗବେଷଣାଲବ୍ଧ ଧ୍ୱଂସାବଶେଷ ତଥା ଗୁଡ଼ହାଣ୍ଡି, ମାରାଗୁଡା, ଯୋଗୀମଠ ଆଦି ସ୍ଥାନରୁ ଆବିଷ୍କୃତ ପ୍ରାଚୀନ ଗୁମ୍ଫା ଗୁଡ଼ିକରେ ଦୃଷ୍ଟି ଗୋଚର ହେଉଥିବା ଡମ୍ବରୁ ଓ ଘୁମୁରା ସହ ସାମଞ୍ଜସ୍ୟ ଥିବା ଚିତ୍ର ଆଦିର କାଳ ନିରୂପଣ କରିବାକୁ ଯାଇ ପଣ୍ଡିତମାନେ ଏହାକୁ ଖ୍ରୀଷ୍ଟପୂର୍ବ ୨୫୦୦୦ରୁ ୧୫୦୦୦ ମଧ୍ୟରେ ସୃଷ୍ଟି ହେବାର ଦାବି କରନ୍ତି !

ଘୁମୁରା ନାଚ କଳାହାଣ୍ଡିର ଐତିହ୍ୟ - Ghumura Dance – A Heritage of Kalahandi

ଘୁମୁରା ନାଚ (Ghumura Dance) ଓଡ଼ିଶାର କଳାହାଣ୍ଡି ଅଞ୍ଚଳରୁ ଏକ ଯୁଦ୍ଧ ସମୟର ନୃତ୍ୟ ଭାବେ ଆରମ୍ଭ ହୋଇ ପରେ ଏକ ଲୋକନୃତ୍ୟରେ ପରିଣତ ହୋଇଥିଲା । ଘୁମୁରା ନାଚ (Ghumura Dance) ସମୟରେ ଏକ ଘୁମୁରା ବାଦ୍ୟ ବଜାଯାଇଥାଏ । ଏହି ବାଦନ ଶୈଳୀ ପାରମ୍ପରିକ ଭାବେ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ନୃତ୍ୟ ଓ ବାଦ୍ୟ ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ବାଦ୍ୟ ମାଟି ନିର୍ମିତ ଲମ୍ବା ବେକ ଥିବା ମାଠିଆ ଆକୃତିର ଓ ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ଭାବେ ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।

କେହି କେହି ଗବେଷକ ଓଡ଼ିଆ ଲିପି ସୃଷ୍ଟି ହେବାର ବହୁ ପୂର୍ବରୁ ଆମ ମାଟିରେ ଘୁମୁରା ସୃଷ୍ଟି ହେବା ବାବଦରେ ଆମର ପୁରାଣ ଓ ପ୍ରାଚୀନ ସାହିତ୍ୟରେ ଆଲୋଚନା ରହିଛି । ଚଣ୍ଡୀପୁରାଣରେ ପରା ଆଦିକବି ଲେଖିଯାଇଛନ୍ତି,
ବାଜଇ କମକାହାଳୀ ଦାଉଣ୍ଡି ଘୁମୁରା,
କାଦମ୍ବରୀ ପାନ କରି ନାଚନ୍ତି ଅସୁରା ।
*** *** ***
ବୀର ତୂର ବୀର ଢୋଲ ଦାଉଣ୍ଡି ଘୁମୁରା,
କଡ଼ା ମର୍ଦ୍ଦଳ ବଜାନ୍ତି ମାରି ଗାଲତୁରା ।

ସାରଳା ମହାଭାରତ ଅନୁସାରେ - According To Sarala Mahabharata

ସାରଳା ମହାଭାରତରେ ଉଲ୍ଲେଖ ହୋଇଛି ଯେ ଦେବଦେବୀଙ୍କଦ୍ୱାରା ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ବ୍ୟବହାର ହେଉଥିଲା । ସାରଳା ମହାଭାରତ ଅନୁସାରେ ସତ୍ୟ ଯୁଗରେ ଜେନାବଳୀ-ପାଟଣା ମହିଷାସୁରଙ୍କ ନାତି ଗୋସିଙ୍ଗ ଦୈତ୍ୟଙ୍କ ରାଜଧାନୀ ଥିଲା । ଲୋକ ବିଶ୍ୱାସ ଅନୁସାରେ ସେତେବେଳର ଜେନାବଳୀ-ପାଟଣା ବର୍ତ୍ତମାନର ଜୁନାଗଡ଼ । ସାରଳା ମହାଭାରତର ମଧ୍ୟ ପର୍ବରେ ଗୋସିଙ୍ଗ ଦୈତ୍ୟର ହତ୍ୟା ସମୟରେ ଘୁମୁରା ବାଦ୍ୟ ବଜାଯିବା କଥା ଉଲ୍ଲେଖ ହୋଇଛି । ସାରଳା ଦାସ ଏହି ବାଦ୍ୟକୁ ଏକ ମହିଷାସୁରଙ୍କ ରଣବାଦ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

ସତ୍ୟବାଦୀର ପଞ୍ଚସଖା ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ‘ଉତ୍କଳ ଇତିହାସ‘ରେ ମଧ୍ୟ ସୁଦୂର ଅତୀତରେ କଳାହାଣ୍ଡି ଅଞ୍ଚଳରେ ଏକ ସମୁନ୍ନତ ସଭ୍ୟତା ସ୍ଥାପିତ ହେଇଥିବା କଥା କହିଛନ୍ତି । ଏସବୁ ତଥ୍ୟ ପ୍ରମାଣିତ କରେ ଯେ ଘୁମୁରା ବାଦ୍ୟଟି କଳାହାଣ୍ଡି ଅଞ୍ଚଳରୁ ହିଁ ସୃଷ୍ଟ ।

ରାବଣରାଜ୍ୟରେ ଘୁମୁରା ଏକ ବିଭୀଷିକାମୟ ରଣ ତଥା ବୀରବାଦ୍ୟ ଭାବେ ବହୁଳ ବ୍ୟବହୃତ ହେଉଥିବା କଥା ମଧ୍ୟ ଗବେଷକମାନେ ମତ ପ୍ରକାଶ କରିଥାନ୍ତି ! କଳାହାଣ୍ଡିର ଜନଶ୍ରୁତି ଅନୁଯାୟୀ ରାବଣସୂତ ମେଘନାଦର ତପସ୍ୟାଲବ୍ଧ ରଣବାଦ୍ୟ ଏଇ ଘୁମୁରା । ତେଣୁ ଲୋକଙ୍କର ବିଶ୍ୱାସ ଯେ ବର୍ଷାଋତୁ ପରେ ହିଁ ଏ ବାଦ୍ୟ ବଜାଇବା ଉଚିତ, ଅନ୍ୟଥା ଇନ୍ଦ୍ରଦେବ ଶତ୍ରୁପକ୍ଷର ଭାବ ନେଇ ବୃଷ୍ଟି କରି ନ ପାରନ୍ତି !

ସତ୍ୟ ଯୁଗରେ ବ୍ରହ୍ମାଦେବଙ୍କ ଆଦେଶରେ ବିନ୍ଧାଣି ଚନ୍ଦ୍ରଧ୍ୱଜ ଏବଂ ତାଙ୍କ ଧର୍ମପତ୍ନୀ ଭରଗୀ କାଞ୍ଚିନଗରୀରେ ଚବିଶପଳ ମାଟିରେ ଗଢ଼ି ଥିଲେ ଘୁମୁଘଣ୍ଟ । ପ୍ରାଚୀନ କବି ଗଗନେଶ୍ୱରଙ୍କ ରଚନାରୁ ଉଦ୍ଧାର କରି ପ୍ରତ୍ନତାତ୍ତ୍ୱିକ ଡ଼ଃ ଯୋଗେଶଚନ୍ଦ୍ର ସିଂହଦେଓ କହନ୍ତି, ସେ ଘୁମୁଘଣ୍ଟର ଉଦର ବାର ଆଙ୍ଗୁଳ ରଖାଗଲା । ଅତି ଯତ୍ନରେ ଚୈତନ୍ୟ ମନ୍ତ୍ରରେ ଶୁଦ୍ଧ କରାଗଲା ଘୁମୁଘଣ୍ଟକୁ । ଭୈବର୍ତ୍ତ ପର୍ବତରୁ ମଣିକର୍ଣ୍ଣ ମାରି ଆଣିଥିବା ଗୋଧି ଓ ଏଣ୍ଡୁଅ ଚର୍ମରେ ରୁଦ୍ରାକ୍ଷ ମନ୍ତ୍ରରେ ପବିତ୍ର କରାଇ ଘଣ୍ଟକୁ ଛାଉଣୀ କରାଗଲା । ଏହାପରେ ଏଇ ବାଦ୍ୟଯନ୍ତ୍ରଟି ଇନ୍ଦ୍ରପୁରୀ ଓ କୁବେରପୁରୀକୁ ଯାଇଥିବା କଥା କବି ଗଗନେଶ୍ୱର ଉଲ୍ଲେଖ କରିଛନ୍ତି ।

ଘୁମୁରା ଓ କଳାହାଣ୍ଡି ବଙ୍କା ଜାତି - Ghumura Association With Banka Paika Caste

 କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯୋଗୀମଠ ଗୁମ୍ଫା ଐତିହାସିକ ସ୍ଥଳୀରେ 8000 ଖ୍ରୀଷ୍ଟ ପୂର୍ବ ( ପ୍ରାୟ 10,000 ବର୍ଷ ପୂର୍ବ) ରେ ଘୁମୁରା ଓ ଡମ୍ବରୁ ଭଳି ଚିତ୍ର ଅଙ୍କନ ହୋଇଅଛି।
କେତେକ ଐତିହାସିକ ମାନଙ୍କ ମତରେ ଚକ୍ରକୋଟର ଛିନ୍ଦକ ନାଗ ରାଜବଂଶ ସମୟରେ ମହାନଦୀ ଓ ଇନ୍ଦ୍ରାବତୀ ନଦୀ ଉପତ୍ୟକା ମଧ୍ୟରେ ଘୁମୁରା ଜନ୍ମ ହୋଇଥିଲା।

 ଅନ୍ୟ ଐତିହାସିକ ମତରେ 1008 ମସିହାରେ କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରୁ ଜୁନାଗଡ଼ (ପ୍ରାଚୀନ ଜେନାବଳୀ ପାଟଣା) କୁ ବଙ୍କା-ପାଇକ ମାନେ ଘୁମୁରା ବାଦ୍ୟ ସହ ଲଙ୍କେଶ୍ୱରୀ ଦେବୀକୁ ନେଇ ଆସିଥିଲେ।

ଘୁମୁରା ଏକ ଯୁଦ୍ଧ ବାଦ୍ୟ ଦେବାସୁରମାନଙ୍କ ଯୁଦ୍ଧ ସମୟରେ ଅସୁର ମାନଙ୍କ ଦ୍ଵାରା ଘୁମୁରାକୁ ଯୁଦ୍ଧବାଦ୍ୟ ରୂପେ ବ୍ୟବହାର କରାଯାଇଥିବାର ରଚନା ଚଣ୍ଡିପୁରାଣ ଏବଂ ସାରଳା ମହାଭାରତରେ ଦେଖବାକୁ ମିଲେ। ଜନଶ୍ରୁତିରୁ ଜଣାପଡ଼େ ଯେ କଳାହାଣ୍ଡି ଅଞ୍ଚଳ ଦୈତ୍ୟରାଜ ଗୋସିଂହର ଶାସନାଧନ ଥିଲା । ଆଜିର ଜୁନାଗଡକୁ ଜେନାବଳି ପାଟଣା ବୋଳି ଲୋକେ କଥା ପ୍ରସଙ୍ଗରେ କହିଥାନ୍ତି । ଗୋସିଂହ ଦୈତ୍ୟରାଜ ହୋଇଥିବା ହେତୁ ଘୁମୁରା ତାର ଯୁଦ୍ଧବାଦ୍ୟ ବୋଳି କହିବା ସାଥେ ସାଥେ ଏହି ବୀରବାଦ୍ୟ ପୁରାଣ ଯୁଗରୁ ରହିଆସିଛି ବୋଲି ଐତିହାସିକମାନେ ମତ ସାବ୍ୟସ୍ତ କରନ୍ତି । ଘୁମୁରାର ଜନ୍ମ ଏବଂ ପ୍ରଚଳନ କାଞ୍ଚି ନଗରରେ ହୋଇଥିବା କଥା ଗଗନେଶ୍ଵରଙ୍କ ଘୁମୁରା ଜନ୍ମ ଉପାଖ୍ୟାନରୁ ଜଣାପଡେ । ଉତ୍କଳର ରାଜା ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ କଥା ଉତ୍କଳ ବାସୀଙ୍କ ପକ୍ଷେ ଅଜଣା ନୂହେଁ । ପୁରୁଷୋତ୍ତମ ଦେବଙ୍କ ଦ୍ବିତୀୟବାର କାଞ୍ଚି ଅଭିଯାନ ସମୟରେ ଏହି କଲାହାଣ୍ଡି ଜିଲ୍ଲାର ତତ୍‌କାଳୀନ ଗଙ୍ଗବଂଶୀୟ ପ୍ରଥମ ରାଜା କଲ୍ୟାଣ ହମ୍ମିର ଦେବ ସୈନ୍ୟ ସହାୟତା ପ୍ରଦାନ କରିଥିଲେ ସେତେ ବେଳେ ଖଣ୍ଡାକୁ ଆୟତ କରିପାରିଥିବା ରକ୍ଷୀ ବାଙ୍କି ଖଣ୍ଡାୟତ - କ୍ଷତ୍ରିୟ ମାନେ କଲ୍ୟାଣ ହମିର ଦେବଙ୍କ ଆଦେଶ ଏବଂ ପରାମର୍ଶକୁ ଗ୍ରହଣ କରି ସମଗ୍ର ଉତ୍କଳର ସମ୍ମାନରକ୍ଷା ପାଇଁ କାଞ୍ଚି ଯୁଦ୍ଧରେ ଲମ୍ଫପ୍ରଦାନ କରିଥିଲେ । ଏଠାରୁ ବାହାରିବା ସମୟରେ ରଥି - ସାରଥି ଦୁଇ ଭାଇଙ୍କୁ ତାଙ୍କର ବିଧବାମା ରକ୍ଷା କବଚ ଏବଂ ଆଶିର୍ବାଦ ଦେଇ ପଠାଇ ଥିବାର କାହାଣୀ ଏବେମଧ୍ୟ ବୟସ୍କ ଲୋକଙ୍କଠୁ ଶୁଣିବାକୁ ମିଲେ । କାଞ୍ଚଯୁଦ୍ଧରେ କାଞ୍ଚି ସେନା ବାହିନୀ ଦ୍ବାରା ବ୍ୟବହୃତ ହୋଇଥିବା ଯୁଦ୍ଧବାଦ୍ୟ ଘୁମୁରା ବାଙ୍ଗୀ ଖଣ୍ଡାୟତ କ୍ଷତ୍ରିୟ ମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ଏହି ଯୁଦ୍ଧବାଦ୍ୟ ଘୁମୁରା ପ୍ରତି ବାଙ୍କୀ ଖଣ୍ଡାୟତ କ୍ଷତ୍ରିୟମାନେ ଆକୃଷ୍ଟ ହୋଇ ଯୁଦ୍ଧାବସାନ ପରେ ଏହିବାଦ୍ୟକୁ ଆଣିଥିବାର ଜନଶ୍ରୁତିରୁ ଜଣାପଡେ । ଏହାମଧ୍ୟ ସତ୍ୟଯେ କଳାହାଣ୍ଡିରେ ମହାରାଜା ବ୍ରଜ ମୋହନ ଦେବଙ୍କ ଶାସନ କାଳପର୍ଯ୍ୟନ୍ତ ବଙ୍କା ପାଇକ ମାନଙ୍କୁ ବାଦଦେଲେ ଅନ୍ୟ କେହି ସାହସର ସହିତ ଘୁମୁରା ବାଦ୍ୟ ପ୍ରଦର୍ଶନ କରିଥିବାର ଦୃଷ୍ଟାନ୍ତ ନାହିଁ । ଏହା ଏମାନଙ୍କ ପ୍ରିୟ ବାଦ୍ୟ । ହେତୁ ଏହା ଉପରେ ପଟୁତା ରହିଛି। 

ପୁନଶ୍ଚ ଏହା ଉପରେ ବେଳେବେଳେ ଏପରି ଭାବରେ ନିଜସ୍ୱତା ପ୍ରଦାନ କରିଥାନ୍ତି ଯେ ଏହି ଘୁମୁରା ବାଦ୍ୟକୁ କାଞ୍ଚିରୁ ଅଣାଯାଇଛି ବୋଲି ବିଶ୍ଵାସ ହୁଏ । ରାଜା ରାଜୁଡ଼ା ଶାସନକାଳରେ ବଙ୍କାପାଇକ ମାନେ ଘୁମୁରା ବାଦ୍ୟକୁ ଆପଣାର ମନେକରି ତାର ଉତ୍ତାରୋତ୍ତର ଉନ୍ନତିର କାମନା କରୁଥିଲେ । ଗୀତ ଏବଂ ବାଦ୍ୟର ବିଶେଷ ଉନ୍ନତି ଘଟିଥିଲା । ସେତେବେଳ ଘୁମୁରା ଏମାନଙ୍କ ପ୍ରିୟ ବାଦ୍ୟଥିଲା । ଏହି ବାଦ୍ୟର ସମୟୋଚିତ ବ୍ୟବହାରକୁ ଏମାନେ ଠିକ ଭାବରେ ପାଳନ କରିଥିଲେ । ଘୁମୁରା ପ୍ରତି ଏମାନଙ୍କ ନିଜସ୍ବ ବୋଧ ଏବଂ ମମତ୍ଵ ବୋଧ ହିଁ ଏମାନଙ୍କ ଦ୍ଵାରା କାଞ୍ଚିରୁ ଅଣାଯାଇ ଥିବା ବାଦ୍ୟ ବୋଳି ମନେକରାଯାଏ । ତେବେ ସେ ଯାହାହେଉ କଲାହାଣ୍ଡିର ବଞ୍ଚିରହିଥିବା ଘୁମୁରା ବାଦ୍ୟ ଏକ ଯୁଦ୍ଧବାଦ୍ୟ ଯାହାକୁ କି ଆଜି ପରୋକ୍ଷ ଭାବରେ ଏହି କଲାହାଣ୍ଡି ଜିଲ୍ଲାରେ ବୀର ବାଦ୍ୟ ବୋଲି କୁହାଯାଉଛି ।

ଘୁମର ନୃତ୍ୟ: ସାହସ ଏବଂ ସଂସ୍କୃତିର ପରାକାଷ୍ଠା - Ghumura Nrutya: Echoes of Valor and Culture

 ଶୁଣ ଘୁମୁରାଜନ୍ମ ନେଲା କିପରି
 ଯାହା ପୁରାଣ ଶାସ୍ତ୍ର କହେ ବିଚାରି
ଭଭାବନ ଆବିଷ୍କାର ଦୁଇଟି ଶବ୍ଦ
 ମାନବଜାତି ଜନମ କାଳୁ ଉଭବ
ଏହା ଦୈବିକ ଇଛା ।
 ଅତି ମାନସ ଭାଷା
 ସମୟ ଡାକରାରେ 
ଦେଖାଏ ତାଯୋଗ୍ୟତା
 ସୃଷ୍ଟିକ୍ରିୟା କ୍ରମ ବିକାଶେ ଥାଏ ସଞ୍ଚରି || ୧ ||


"ଘୁମୁଘଣ୍ଟ" ଘୁମୁରାର ପ୍ରଥମ ନାମ
 କାଞ୍ଚିରେ ଏହାର ହୋଇଥିଲା ଜନମ
 କାଞ୍ଚିର କାରିଗର
 ନାମତା 'ଚନ୍ଦ୍ରଧ୍ୱଜ' 
ଚବିଶ ପଲମାଟି
 ଆଣିଣ କଲାପାଗ
 ତାରମଣୀ 
"ଭରଗୀ" ସାଥଦେଲା ତାହାରି || ୨ ||

 ମୁହଁ ଫେର ରଖିଲା ତା’ଦ୍ବାଦଶାଙ୍ଗୁଳି
 ଦ୍ଵାଦଶ ଅଙ୍ଗଳି ଅଟେ ଉଦର ତାରି
 ତାହାର ବୁକୁ ସପ୍ତ
ଦଶମାଢେ ନିର୍ମିତ
ଚୈତନ୍ୟ ମନ୍ତ୍ରେ ତାକୁ
 ବିଶେଷେ କଲା ଶୁଦ୍ଧ
" ଜଟି ଲାଗ୍ନି " 
ତେଜେ ତେଜିଲା ରୂପ ତାହାରି|| ୩||

ଧନୁଶର ଧରି ମଣି କର୍ଣ୍ଣ ବିନ୍ଧାଣୀ 
" ରୈବତ " କୁ ଗଲା ଗୋଧି ସନ୍ଧାନ ପାଇଁ
 ସେଥିରେ ଥିବା ଗୋଧି
ଏଣ୍ଡୁଅଟାକୁ ବଧି
 ତାହାର ଛାଲ ଆଣି
 ରୁଦ୍ରାକ୍ଷ ମନ୍ତ୍ରେ ପୁଣି
 ଘୁମୁରାକୁ ଛାଉଣୀ କଲା ବ୍ରହ୍ମାସୁମରୀ || ୪ ||

 ଭାଦ୍ରବ ଶୁକ୍ଳପକ୍ଷର ସପ୍ତମୀ ତିଥି
 ମୃଗଶିରା ନକ୍ଷତ୍ରର ଭୋଗଥିଲାଟି
 ସେଦିନ ଭୌମବାର
 ଅପରାହ୍ନ ବେଲାର
 ଘୁମୁରା ହେଲା ଜନ୍ମ
 ଥିଲା ମାହେନ୍ଦ୍ର ଲଗ୍ନ
 ଚାରି ଦିଗେ
 ପୁରି ଉଠିଲା ଶବ୍ଦତାହାରି || ୫ ||

ଏମନ୍ତ ପ୍ରକାରେ ଜନ୍ମ ନେଲା ଘୁମୁରା
କାଞ୍ଚିଯୁଦ୍ଧ ବାଙ୍କୀ କ୍ଷତ୍ରୀ ମନ ମୋହିଲା
 ଯୁଦ୍ଧାବସାନ ପରେ
 ଘୁମୁରାକୁ ସାଥିରେ
 ଆଣିଲେ ବାଙ୍କୀ କ୍ଷତ୍ରୀ
 ଏ ଜେନାବଳିପୁରେ
 କହେ ସତ୍ୟ ଘୁମୁରା ଲୋକ ନୃତ୍ୟ ଆମରି || ୬ ||

 ( ଘୁମୁରାର ତାଳେତାଳେ/ ସତ୍ୟନାରାୟଣ ରାଜପୁତ /ପୃଷ୍ଠା.ନଂ - ୨୪/୨୫ )

କେତେକ ଐତିହାସିକ ଙ୍କ ମତରେ ଆଦିମ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡ଼ିତ ଘୁମୁରା ଲୋକନୃତ୍ୟ ଖ୍ରୀଷ୍ଟପୂର୍ବ ୨୫୦୦୦ରୁ ୧୫୦୦୦ ମଧ୍ୟରେ ସୃଷ୍ଟି ହେବା ଅନୁମେୟ ! ପୁନଶ୍ଚ ଏଇ ଘୁମୁରା ବାଦ୍ୟ ଓ ନୃତ୍ୟ କେବଳ କଳାହାଣ୍ଡି ଓ ଆଖପାଖ ଅଞ୍ଚଳରେ ଅନୁସୃତ ହେଉଥିବା କାରଣରୁ ଏହି ଲୋକକଳାଟି କଳାହାଣ୍ଡିର ସ୍ବାତନ୍ତ୍ର୍ୟ ।

[ଉତ୍ସ-ବାଙ୍କୀ ଖଣ୍ଡାୟତ ଇତିହାସ ପୁସ୍ତକ ଅନୁସାରେ] 

ଘୁମୁରାର ନାମକରଣ - Etymological meaning Of Ghumura In Odia

ଅଧିକାଂଶ ଗବେଷକ ଘୁମୁ ଘୁମୁ ନାଦରୁ ଘୁମୁରାର ନାମକରଣ ହୋଇଥିବା ଯୁକ୍ତି କଲେ ମଧ୍ୟ ନୃତ୍ୟଗୁରୁ ୰ମୂର୍ତ୍ତିମନ୍ତ ସାହୁ କିନ୍ତୁ ଭିନ୍ନ ମତ ପୋଷଣ କରିଥା’ନ୍ତି, “ଘୁମୁରା ବାସ୍ତବରେ ଘୁମୁ ଘୁମୁ ଶୁଣେନା ! *** ନାଦବ୍ରହ୍ମର ସଙ୍କେତ ଡମ୍ବରୁ, ଏବଂ ଏଇ ଆଦି ବାଦ୍ୟର ପରବର୍ତ୍ତୀ ସଂସ୍କରଣ ଓ ଉନ୍ନତ ରୂପ ହିଁ ଘୁମୁରା ! ଫଳିତ ଧ୍ୱନି ଉତ୍ପନ୍ନ କରୁଥିବା ଏହାର ଉପରିଭାଗ ଡମ୍ବରୁ ସଦୃଶ । ଏହା ପରବର୍ତ୍ତୀ କାଳରେ ହୋଇପାରିଛି ଉଭୟ ଶିବ ଏବଂ ଶିବାନୀଙ୍କ ପ୍ରିୟ ବାଦ୍ୟ ! ଏଣୁ ଘୁମ୍+ ଉ +ରା ହୋଇ ଘୁମୁରା ହେବା ସ୍ବାଭାବିକ । *** ‘ଘୁମ୍’ ଶବ୍ଦ ର ଅର୍ଥ ମୃତ୍ତିକା ନିର୍ମିତ ସରୁ ମୁହଁ ଓ ବଡ଼ ପେଟ ଥିବା ମାଠିଆ ବା ଘୁମ, ‘ଉ’ ଶବ୍ଦ ର ଅର୍ଥ ଶିବ ଏବଂ ‘ରା’ ଅର୍ଥ ରାବ ବା ଧ୍ୱନି ।”

ଘୁମୁରା ପୋଷାକ ଓ ପରିପାଟୀ - Custom Of Ghumura

ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଲୋକପ୍ରିୟ ନୃତ୍ୟ । ଘୁମୁରା ହେଉଛି ମାଟିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ “ଘୁମୁରା ନାଚ” କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି ।

ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି।

ଘୁମୁରାର ବିବର୍ତ୍ତନ - Evolution Of Ghumura

ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ସମନ୍ୱିତ ଯୁଦ୍ଧବାଦ୍ୟ ତଥା ବୀରବାଦ୍ୟ ଘୁମୁରାରେ ଏକଦା ଥିଲା ସମରମୁହାଁ ଯୋଦ୍ଧା ମାନଙ୍କୁ ଅନୁପ୍ରେରିତ ଓ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ରଣହୁଙ୍କାର ତୋଳି ଉଦଣ୍ଡ ନୃତ୍ୟ କରିବାର ପରମ୍ପରା ! ତେବେ ବ୍ରିଟିଶ ଅମଳରେ ଏହା ଗଣ୍ୟ ହେଲା ଏକମାତ୍ର ଉପଭୋଗ୍ୟ ଲୋକନୃତ୍ୟ ଭାବେ !ରାଜାମହାରାଜାଙ୍କ ପୃଷ୍ଠପୋଷକତାରେ ଚଳମାନ ଏଇ ସଂସ୍କୃତିରେ ପୁଣି ଧସେଇ ପଶିଆସିଲା ରାଜାରାଜୁଡ଼ାଙ୍କ ପ୍ରଶସ୍ତିଗାନ !ଦେବାଦେବୀଙ୍କ ପଦବନ୍ଦନା ଛଳରେ କାଳକ୍ରମେ କବିସମ୍ରାଟ, ଅଭିମନ୍ୟୁ ସାମନ୍ତସିଂହାର, କବି ଦୀନକୃଷ୍ଣ ଇତ୍ୟାଦିଙ୍କ ଜଣାଣ, ଛାନ୍ଦ, ଚମ୍ପୁ, ଚଉପଦୀ ଆଦି ଘୁମୁରା ମଧ୍ୟକୁ ପ୍ରବେଶ କରିବା ସହ ଗ୍ରାମାଞ୍ଚଳରେ ବହୁଳ ଭାବେ ଆଦୃତ ହେବାରେ ଲାଗିଲା । ଉନ୍ନବିଂଶ ଶତାବ୍ଦୀର ଶେଷ ଆଡକୁ ବ୍ରିଟିଶ ସରକାର ବିରୋଧରେ ଜାତୀୟତାବାଦର ସ୍ଵର ଦେଖିବାକୁ ମିଳିବାକୁ ଲାଗିଲା ଘୁମୁରାର ସଙ୍ଗୀତରେ !

ସମୟକ୍ରମେ କଳାହାଣ୍ଡିର ଏଇ ଅନନ୍ୟ ଲୋକକଳାର ଲୋକପ୍ରିୟତାରେ ବାନ୍ଧି ହୋଇଯାଇଥିଲେ ତତ୍କାଳୀନ କଟକ ଓ ପୁରୀ ଜିଲ୍ଲାର ଶବର ଆଦିବାସୀ ! ଶବରଙ୍କ ଘୁମୁରାରେ ଯୁଦ୍ଧରୂପ କିମ୍ବା ବୀରରସର ଅଭାବ ସତ୍ତ୍ୱେ ଧୀରେ ଧୀରେ ଉକ୍ତ ଅଞ୍ଚଳରେ ମଧ୍ୟ ଲୋକପ୍ରିୟତା ହାସଲ କରିପାରିଲା ଘୁମୁରା !

ସମୟ ଆସିଲା, କଟକ ଓ ପୁରୀ ଜିଲ୍ଲାର ଭାଗବତଟୁଙ୍ଗୀ ପରି କଳାହାଣ୍ଡିର ପ୍ରତ୍ୟେକ ଗାଁରେ ଗଢ଼ି ଉଠିଲା ଘୁମୁରା ଦଳ, ମୁଖରିତ କରିଚାଲିଲା ପୁରପଲ୍ଲୀକୁ; ଯୁଦ୍ଧ ବାଦ୍ୟ ବୀରବାଦ୍ୟଟି ଉପଭୋଗ୍ୟ ବାଦ୍ୟରେ ବିବର୍ତ୍ତିତ ହେବା ଉତ୍ତାରୁ କଳାହାଣ୍ଡିର ବିଭିନ୍ନ ଦେବାଦେବୀ ପୀଠରେ ଘୁମୁରା ଦଳମାନେ ସମନ୍ୱିତ ହୋଇ ମହିମାବ୍ୟାପ୍ତ କରିଚାଲିଲେ ଏଇ ନୃତ୍ୟକୁ ! ପ୍ରତିଯୋଗୀତାର ମନୋବୃତ୍ତିରେ କଳାକାରମାନେ ବେଶ, ନୃତ୍ୟ ଓ ବାଦ୍ୟରେ ଆଣିପାରିଲେ ବହୁବିଧ ସଂସ୍କାର ! ଛାନ୍ଦ, ଚଉପଦୀର ଧାର ଦେଇ ବହିଚାଲିଲା ବାଦୀଗୀତ ! ଦଶହରା ସମେତ ସ୍ଥାନୀୟ ଅଣ/ଆଦିବାସୀ ପର୍ବପର୍ବାଣୀ ତଥା ଉତ୍ସବଗୁଡିକୁ ଏଇ ଗଣନୃତ୍ୟବାଦ୍ୟ କଲା ଅଧିକ ରସାଣିତ, ମନୋଜ୍ଞ ତଥା ହୃଦ୍ୟ ! ଯୁଗ ଯୁଗର ଏଇ ରସ ଓ ରଙ୍ଗମୟ ନୃତ୍ୟ-ବାଦ୍ୟ-ସଙ୍ଗୀତ ସମନ୍ୱିତ କଳା ଦେଇ ଚାଲିଲା କଳାହାଣ୍ଡି ଜିଲ୍ଲାବାସୀ ଜନତାଙ୍କ କଳାତ୍ମକ ରୁଚିବୋଧର ନିବିଡ଼ ପରିଚୟ !ତେବେ ଆଧୁନିକତାର ବିକଳ ମୋହରେ ପ୍ରତାରିତ କଟକ ଓ ପୁରୀ ଜିଲ୍ଲାର ଶବର ଆଦିବାସୀମାନେ ଏଇ ପାରମ୍ପରିକ ଲୋକକଳା ପ୍ରତି ବିମୁଖ ହୋଇପଡୁଥିଲେ ଧୀରେ ଧୀରେ ! ଅବଶ୍ୟ ଲୋକକଳାର ଗନ୍ତାଘର କୁହାଯାଉଥିବା କଟକ ଜିଲ୍ଲାର ବହୁବିଧ ଲୋକକଳା ସହିତ ପ୍ରତିଯୋଗୀତାରେ ଆନନ୍ଦ ଲଭି ଚାଲିଥିଲା ଘୁମୁରା ! 

Post a Comment

0 Comments